Unknown

 

 

 

 

 

 

 

 

 

ରାଧାଦର୍ଶନ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(ଭକ୍ତକବି ଦୀନକୃଷ୍ଣ-ରାଧାକୃଷ୍ଣଙ୍କର ପରମ ଭକ୍ତ । ଗୋପାଙ୍ଗନାଙ୍କର କୃଷ୍ଣଙ୍କ ସହିତ ଅପୂର୍ବ ପ୍ରେମଲୀଳା ସେ ତାଙ୍କର କାବ୍ୟ, କବିତା, ଚଉତିଶାରେ ସୁନ୍ଦର ଭାବେ ଫୁଟେଇଛନ୍ତି । ଗୋପୀ ଭାବର ପରିପ୍ରକାଶ ଘଟିଛି ଏଥିରେ । ରାଧାକୃଷ୍ଣଙ୍କ ମିଳନ ବିଚ୍ଛେଦ ଅବସ୍ଥାକୁ ମଧ୍ୟ କବି ଭାବାବେଗର ସହିତ ବର୍ଣ୍ଣନା କରିଛନ୍ତି । ବୈଷ୍ଣବମାନଙ୍କ ମତରେ ରାଧା ସ୍ୱୟଂ ଜଗତର ମାତା । ତାଙ୍କର ପାଦଦର୍ଶନରେ ଭକ୍ତର ସକଳ ପାପ ନିବାରିତ ହୋଇଥାଏ । କୃଷ୍ଣଙ୍କୁ ପାଇବା ପାଇଁ ରାଧା ଯେମିତି ବ୍ୟାକୁଳା, ରାଧାଙ୍କ ଦର୍ଶନ ପାଇଁ କୃଷ୍ଣ ସେମିତି ଆତୁର । ଚଉତିଶାଟିରେ ରାଧାଙ୍କ ଦର୍ଶନ ପାଇଁ କୃଷ୍ଣଙ୍କ ସ୍ନେହପୂର୍ଣ୍ଣ ଅଭିଳାଷ ଓ କୃଷ୍ଣ ବିରହିଣୀ ଗୋପୀକାଙ୍କ ଭାବୋଚ୍ଛ୍ୱାସ ଏଥିରେ ସ୍ଥାନ ପାଇଛି ।)

 

କୃଷ୍ଣ କହନ୍ତି ଦୂତୀକି କର ଗମନ କତିକି

କହ ମୋତେ ଗଲା କାହା ନନ୍ଦିନୀ ସେ ରୂପ ନିନ୍ଦୁଛି ରତିକି

ଆରେ ସଖୀ ।୧।

 

ଖେଳାଇ ଖଞ୍ଜନ ଆଖି ଖରେ ଲେଉଟାଇ ରଖି

ଖିଣ ଉଦରୀ ମୋ ମନ ନୟନକୁ କଲା ଅତି ମହାସୁଖୀ

ଆରେ ସଖୀ ।୨।

 

ଗତି ଗଜରାଜ ଜାଣି ଶୁଣୁଛି ସେ ଗୁଣମଣି

ଗଙ୍ଗାଧର ରିପୁ ମହାନଦୀ କି ସେ ଅଝାଲ ହେମତରଣୀ

ଆରେ ସଖୀ ।୩।

 

ଘାଗୁଡ଼ି କଳା ନୂପୁର ଘନ ଘନ ମାଦତାର

ଘୁଞ୍ଚାଇ ଦେଉଛି ମହାମଦକ ମରାଳ ଡାକ ଡମ୍ବରୁ

ଆରେ ସଖୀ ।୪।

 

ନୋହିଲା ପିଛାଡ଼ି ଆଖି ନାଗରୀମଣିକି ଦେଖି

ନୀଳକଣ୍ଠକୁ କେ କେତେ ସେବା କରି ପାଇଛି ସେ ଚନ୍ଦ୍ରମୁଖୀ

ଆରେ ସଖୀ ।୫।

 

ଚାରୁ ଚମ୍ପକ ବରନୀ ଚତୁରୀ ଭୂତ ମୋହିନୀ

ଚନ୍ଦ୍ରଭାଲେ ଗନ୍ଧ ଉର୍ଦ୍ଧ୍ୱତିଳକ କି କରିଅଛି ସେ ଘେନି

ଆରେ ସଖୀ ।୬।

 

ଛାଡ଼ିବେ ଯୋଗୀ ସମାଧି ଛଣେତା ଦେଖିବେ ଯଦି

ଛତିବତି ହୋଇ ରତିପତି ଶରେ କର୍ମରେ ହେବେ ବିବାଦୀ

ଆରେ ସଖୀ ।୭।

 

ଭାବାର୍ଥ- (୧-୭) ଦୂତୀକୁ ଡାକି କୃଷ୍ଣ କହିଲେ, ରେ ସଖୀ ଯେଉଁ ନାରୀଟି ଯାଉଛି, ତା’ ପାଖକୁ ଯାଇ ଦେଖ, ସେ କାହାର କନ୍ୟା, ରତିଠାରୁ ଆହୁରି ସୁନ୍ଦରୀ ସେ । ଏ ବିଷୟରେ ମୋତେ କହିବୁ । ରେ ରଖୀ, ତା’ର ଖଞ୍ଜନ ଆଖି ଖେଳାଇ ପୁଣି ଅତି ଚଞ୍ଚଳ ଲେଉଟାଇ ମୋ ମନ-ନୟନକୁ ଅତ୍ୟନ୍ତ ସୁଖୀ କରାଇଲା । ରେ କ୍ଷୀଣୋଦର, ତା’ର ଗଜଗମନକୁ ଦେଖି ଭାବୁଛି ସେ ଗୁଣମଣି । କନ୍ଦର୍ପରୂପକ ମହାନଦୀକୁ ପାର ପାଇଁ ସେ ରମଣୀ ସୁବର୍ଣ୍ଣର ଡଙ୍ଗାଟିଏ ଯେମିତି । କଳାବର୍ଣ୍ଣର ଘାଘୁଡ଼ି ନୂପୁର ସେ ପିନ୍ଧିଛି । ଅପୂର୍ବ ତା’ର ନାଦ । ମହାମଦକ ମରାଳର ଡାକକୁ ତାହା ନିନ୍ଦା କରୁଛି । ରେ ସଖୀ, ସେ ନାଗରୀମଣିକୁ ଦେଖି ଆଖିର ପଲକ ପଡ଼ୁନାହିଁ । ସେ ଚନ୍ଦ୍ରମୁଖୀକୁ ଯିଏ ପାଇଛି, ତା’ ଜୀବନ ଧନ୍ୟ । ଏଥିପାଇଁ ଶିବଙ୍କୁ ସିଏ କେତେ ତପସ୍ୟା କରି ନ ଥିବ ?

ରେ ସଖୀ, ସେ ସୁନ୍ଦରୀ ବାଳା ଚାରୁ ଚମ୍ପକବରନୀ, ଚତୁରୀ ମୋହିନୀ, ଭାଲପଟରେ ଉର୍ଦ୍ଧ୍ୱତିଳକ ଘେନିଛି । ତାକୁ ଯଦି କ୍ଷଣିକ ପାଇଁ ମୁନିଯୋଗୀମାନେ ଦେଖିବେ, ତେବେ ଯୋଗ ସମାଧି ଛାଡ଼ିଦେବେ । କନ୍ଦର୍ପ ଶରରେ ବ୍ୟତିବ୍ୟସ୍ତ (ଛତିବତି) ହୋଇପଡ଼ିବେ ।

 

ଜମ୍ବୁନଦ କଳେବର ଜଳି ଉଠୁଅଛି ତାର

ଯାହା ବୋଲ ବୋଲ ସଜନୀ ତାହାକୁ ଜଗନ୍ନାଥ ହିଁ ସେବକ

ଆରେ ସଖୀ ।୮।

 

ଝଟକେ ତାଟଙ୍କ ଗଣ୍ଡେ ଝିମଣ୍ଟକେ ଦୁଃଖ ଖଣ୍ଡେ

ଝଟତି ଦେଖିଲେ ଫୁଲଶର ଶର ଦିଅଇ ଫୁଲ କୋଦଣ୍ଡ

ଆରେ ସଖୀ ।୯।

 

ନାହିଁ ତାହା ସମାନରେ ନବପଞ୍ଚ ଭୁବନରେ

ନିଶ୍ଚେ ଜାଣିଲି ସେ କାମ ଜୟରଥ ଜନମିଛି କପଟରେ

ଆରେ ସଖୀ ।୧୦।

 

ଟେକ ଗରୁ କୁମ୍ଭ ଦୁଇ ଟାଣଭରେ ଟେକି ହୋଇ

ଟିକାଏ ଦୃଷ୍ଟି ସୂର୍ଯ୍ୟଙ୍କୁ ଚକ୍ରବାଡ଼ ପ୍ରାୟେ ଦେଖାଇ ମହୀ

ଆରେ ସଖୀ ।୧୧।

 

ଠାବ କଲି ଏତେକାଳେ ଠିକରାଜ ଯୋଗବଳେ

ତୋ ପଦ୍ମକୋଳେ ଖଞ୍ଜନ ଯୁଗଳ ଖେଳିବା ଦେଖିଲି ଡୋଳେ

ଆରେ ସଖୀ ।୧୨।

 

ଡାଳିମ୍ବବୀଜ ଦଶନୀ ଡମ୍ବରୁ-ମଧ୍ୟା-ଶୋଭିନୀ

ଡମ୍ବରୁକରି ଡାଳିମ୍ବ ନେତେ ପିନ୍ଧି ମଣ୍ଡିଯାଉଛି ମେଦିନୀ

ଆରେ ସଖୀ ।୧୩।

 

ଢମ କହୁନାହିଁ ତୋତେ ଢଳି ଅନାଇଲା ମୋତେ

ଢାଳ ଚାହାଣୀ ଭାବଦେଇ ମନକୁ ନେଲା ସଂଗତେ ସଂଗତେ

ଆରେ ସଖୀ ।୧୪।

 

ଆହା ସେ ରଙ୍ଗ ଅଧର ଅନଙ୍ଗ ଅମୃତ ଘର

ଅରୁଣ କୋଳେ ଚନ୍ଦ୍ରକଳା ରହିଲା ପ୍ରାୟ ହସରେ ସୁନ୍ଦର

ଆରେ ସଖୀ ।୧୫।

 

ଭାବାର୍ଥ- (୮-୧୫) ରେ ସଖୀ, ସୁବର୍ଣ୍ଣ ପରି ତା’ ଶରୀର ଝଟକୁଛି । ତୁ ଯାହା କହ ସଜନୀ, ତାକୁ ଜଗନ୍ନାଥ ହିଁ ସହାୟ ହୋଇଛନ୍ତି । ତା’ର ଗଣ୍ଡ ଦେଶରେ କର୍ଣ୍ଣ ଅଳଙ୍କାର (ତାଟଙ୍କ) ଝଟକୁଛି । କ୍ଷଣକ ମଧ୍ୟରେ ଦୁଃଖ ଦୂର ହେବ । ଫୁଲଶର ମାରି କନ୍ଦର୍ପ ମୋତେ ଆହତ କରୁଛି । ଏ ଚଉଦ ଭୁବନରେ (ନବାପଞ୍ଚଭୁବନ) ତା’ ସମାନ ସୁନ୍ଦରୀ କେହି ନାହିଁ । ମୁଁ ଭାବୁଛି, କପଟରେ କନ୍ଦର୍ପ ଏଇ ରମଣୀ ରୂପରେ ଜନ୍ମ ନେଇଛି । ରେ ସଖୀ, ଦୁଇ ବକ୍ଷୋଜକୁ ଟାଣରେ ଟେକି ହୋଇ ଟିକିଏ ଦୃଷ୍ଟିରେ ସୂର୍ଯ୍ୟଙ୍କୁ (ଚକ୍ରବାଡ଼) ଦିଗ୍‌ବଳୟ ପ୍ରାୟ ପୃଥିବୀ ଦେଖାଉଛି । ରେ ସଖୀ, ଏତେ କାଳରେ ଯୋଗ ବଳରେ ତୋ ପଦ୍ମ କୋଳରେ ଖଞ୍ଜନ ଯୁଗଳ ଖେଳିବା ଠାବ କରି ଆଖିରେ ଦେଖିଲି ।

 

ରେ ସଖୀ, ସେଇ ଡାଳିମ୍ବବୀଜ ଦଶନୀ, ଡମ୍ବରୁ ମଧ୍ୟା ଶୋଭିନୀ ସୁନ୍ଦର ଶାଢ଼ି ପିନ୍ଧି ପୃଥିବୀକୁ ଯେମିତି ମଣ୍ଡି ଦେଇଛି । ମୁଁ ତୋତେ ଗର୍ବ କରି କହୁନାହିଁ, ଢଳି କରି ମୋତେ ଚାହିଁଲା । ସେ ଚାହାଁଣିରେ ଭାବ ଦେଇ ମୋ ମନକୁ ତା’ ସଙ୍ଗରେ ନେଇଗଲା, ରେ ସଖୀ, ତା’ର ରଙ୍ଗ ଅଧର କନ୍ଦର୍ପର ଅମୃତ ଘର, ତା’ ହସରେ ଅରୁଣ କୋଳରେ ଚନ୍ଦ୍ରକଳା ରହିଲା ପ୍ରାୟ ସୁନ୍ଦର ଦେଖାଯାଉଛି ।

 

ତରୁଣୀମଣି ସେ ବାମା ତିନିଲୋକ ସୁଖ ସୀମା

ତାହାକୁ ସେହି ଉପମା ଯାହା ଘେନି କାମର ମହାଗରିମା

ଆରେ ସଖୀ ।୧୬।

 

 

ଥରକୁ ଥର ବଳିବା ଧିରେଣ କେତେ କଳିବା

ଥଳପଦ୍ମ ତୋଳି ବିଞ୍ଚିଲା ପରାୟେ ଦିଶଇ ପାଦଚାଳିବା

ଆରେ ସଖୀ ।୧୭।

 

ଦିଶୁଥିଲା ବନ୍ଧୁହରେ ଦେଖୁ ଦେଖୁ ହେଲା ପୁରେ

ଦେହ ଅଦେହ ଦେହ କରିଗଲା ସେ ଅନାଇବା ମାତ୍ରକରେ

ଆରେ ସଖୀ ।୧୮।

 

ଧନ୍ୟ ସେ ଭୂରୁ ଭଙ୍ଗିମା ଧନ୍ୟ ନେତ୍ର ସୁରଙ୍ଗିମା

ଧନୁଶର ଧରି ମଦନ ଛଳିଲା ପରାୟେ ସେ ତରଙ୍ଗିମା

ଆରେ ସଖୀ ।୧୯।

 

ନୟନେ ମୋର ରହିଲା ନିର୍ମଳ ସୁଖ ସେ ଦେଲା

ନାନା ସୁବିଦ୍ୟା ଅଙ୍ଗରେ ଥିବା ପ୍ରାୟେ ଲେଶେଟି ଭାରି ନୋହିଲା

ଆରେ ସଖୀ ।୨୦।

 

ପରମାନନ୍ଦ ସଂପତ୍ତି ପାଇଲା ପରାଏ ମତି

ପରମେଶ୍ୱରଙ୍କ ମହିମାରୁ ଆଜ ପାହିଲା କି ଯୋଗେ ରାତି

ଆରେ ସଖୀ ।୨୧।

 

 

ଫୁଲ ତିଳ ଫୁଲ ନାସା ଫୁଲାଇ କହିବା ଭାଷା

ଫେଡ଼ି କି କହିବି ଶୁଣିଲାରୁ ମୋର ହେଲା ସୁରଗୁରୁ ଦଶା

ଆରେ ସଖୀ ।୨୨।

ବଡ଼ ଲୋକ ତାକୁ କଲି ବିକି ହେଲା ପ୍ରାୟେ ହେଲି

ବିଷମଶର ଏତେକେ ବିନ୍ଧି ଘେନି ଅଇଲା ଏଠାକୁ ବୋଲି

ଆରେ ସଖୀ ।୨୩।

ଭାଗ୍ୟେ ଥିଲା ମୋର ଯେତେ ଭଲେ ଅନାଇଲି ମୋତେ

ଭବରିପୁ ଭୟ ଭାବିବାକୁ ତାହା ଭରସା କରିଛି ତୋତେ

ଆରେ ସଖୀ ।୨୪।

ମହାଯୋଗେ ଯୋଗୀଥିବ ମୁହୂର୍ତ୍ତେ ତାକୁ ଦେଖିବ

ମହତି କରି କହୁଛି ମହାଦେବ ସତ୍ୟ ମୁଖୁଁ ନ ବର୍ତ୍ତିବ

ଆରେ ସଖୀ ।୨୫।

ଭାବାର୍ଥ- (୧୬-୨୫) ରେ ସଖୀ, ସେ ତରୁଣୀମଣି ବାମା, ତିନି ଲୋକରେ ସଭିଙ୍କୁ ସୁଖ ଦେବ । ତାହାକୁ ସେ ଉପମା । ତା’ରି ପାଇଁ କାମର ଗର୍ବ । ଥରକୁ ଥର ବଳିବା, ଧୀର ଗତି ତା’ର ଚଳିବା ଓ ତା’ର ପାଦ ଚାଳିବା ଦେଖି ସ୍ଥଳପଦ୍ମ ତୋଳି ବିଞ୍ଚିବା ପ୍ରାୟ ଦେଖାଯାଉଛି । ସେ ଖୁବ୍ ସୁନ୍ଦର ଦିଶୁଥିଲା । ତାକୁ ଅନାଇବା ମାତ୍ରେ କନ୍ଦର୍ପ ଦେହକୁ ଫୁଲଶରରେ ଜର୍ଜରିତ କରିଦେଲା-। ଧନ୍ୟ ସେ ଭୂରୁ ଭଙ୍ଗିମା । ଧନ୍ୟ ତା’ର ନେତ୍ର ସୁରଙ୍ଗିମା । ଧନୁଶର ଧରି କନ୍ଦର୍ପ ଛଳିଲା ପ୍ରାୟ ସେ ଦେଖାଯାଉଥିଲା । ରେ ସଖୀ, ବାଳାର ଅପୂର୍ବ ରୂପଲାବଣ୍ୟ ଦେଖି ମୋର ଚକ୍ଷୁ ତା’ରି ଠାରେ ରହିଲା । ସେ ନର୍ମଳ ସୁଖ ଦେଲା । ତା’ ପାଖରେ ବହୁତ ସୁବିଦ୍ୟା ଥିବା ପ୍ରାୟ ସମାନ୍ୟ ଭାରି ସେ ହୋଇନାହିଁ; ଅର୍ଥାତ୍‍ ଅନେକ ବିଦ୍ୟା ଲାଭକରି ନମ୍ର ହୋଇ ଯାଇଛି । ତାକୁ ଦେଖିଲା ପରେ ପରମାନନ୍ଦ ସମ୍ପତ୍ତି ପାଇଲା ପରି ମୋର ମନେ ହେଲା । ମୁଁ ଭାବୁଛି, ପରମେଶ୍ୱରଙ୍କ ମହିମାରୁ ଭଲଯୋଗରେ ଆଜି ରାତି ପାହିଥିଲା । ସେ ରମଣୀର ତିଳଫୁଲ ପରି ନାସା, ଫୁଲାଇ କହିବା ଭାଷା କ’ଣ ବା ଫେଡ଼ି କହିବି ? ଶୁଣିଲା ପରେ ମୋର ବୃହସ୍ପତିଙ୍କ ଦଶା ହୋଇଛି । ତାକୁ ବଡ଼ ଲୋକ ପ୍ରାୟ କରି ତା’ ପାଖରେ ବିକି ହୋଇଗଲି । କୁସୁମ ଶରରେ ଏତିକି ବେଳରେ ବିନ୍ଧିଲା । ରେ ସଖୀ, ମୋ ଭାଗ୍ୟରେ ଯାହା ଥିଲା ଘଟିଲା, କନ୍ଦର୍ପ ଭୟରୁ ରକ୍ଷା ପାଇବାକୁ ମୋତେ ଭରସା କରିଛି । ମହାଯୋଗରେ ଯୋଗୀମାନେ ଥିବେ, ମୁହୁର୍ତ୍ତକ ପାଇଁ ଯଦି ତାକୁ ଦେଖିବେ, ସତ୍ୟ କରି କହୁଛି, ତା’ ମୁଖରୁ ବର୍ତ୍ତି ପାରିବ ନାହିଁ ।

ଯୁବତୀ ଜନଙ୍କ ସଙ୍ଗେ ଯାଉଥିଲା କଥା ରଙ୍ଗେ

ଜାତି ପଦ୍ମିନୀ ଅଙ୍ଗ ସଉରଭକୁ ବେଢ଼ିଥିଲେ ପାଶେ ଭୃଙ୍ଗେ

ଆରେ ସଖି ।୨୬।

ରମଣୀମଣି ସୁଶ୍ରୋଣୀ ରହିଛି ରୁଚିର ବେଣୀ

ରଣରଣଙ୍କ ରଣ-ରଥଶିରେ କି ନୀଳପତାକା ମଣ୍ଡିଣି

ଆରେ ସଖୀ ।୨୭।

ଲେଖିଛି କସ୍ତୁରୀ ରେଖ ଲଲାଟର ଦୁଇ ପାଖ

ଲତିକା ଅଳକାବତି କି ଘେନି ସେ ମୁଖ ଦେଉ କି ସୁଖ

ଆରେ ସଖୀ ।୨୮।

ବିଧାତା ବଡ଼ ହୁଡ଼ିଲା ବିବେକପଣ ଛାଡ଼ିଲା

ବସୁଦେବପୁଅ ବାସୁଦେବକୁତ ବେଳୁ ଏହା ନ ଯୋଡ଼ିଲା

ଆରେ ସଖୀ ।୨୯।

ସବୁଅଙ୍ଗେ ଶୋଭାଶିରୀ ସମହୋଇଅଛି ପୂରି

ସର୍ବାଙ୍ଗ ଅଳଙ୍କାରକୁ ସୁନ୍ଦରତା କରିଅଛି ସେ ସୁନ୍ଦରୀ

ଆରେ ସଖୀ ।୩୦।

ସତେ ହେ ଏମନ୍ତ ହେବ ଶୁଭଯୋଗ ଯେବେ ଥିବ

ଶଶୀ ଶେଖର ଦୟାକଲେ ଅବାସେ ଶଶୀମୁଖୀ ଦେଖାହେବ

ଆରେ ସଖୀ ।୩୧।

ଶୁଣି ହସି କହେ ଦୂତୀ ସେ ବୃଷଭାନୁ ଦୁହିତୀ

ସେଦିନ ତୁମ୍ଭଙ୍କୁ ଦେଖିବା ନିମନ୍ତେ ମନ କରିଥାଇ ନିତି

ଆହେ କାହ୍ନୁ ।୩୨।

ହର ଗଉରୀ ପୂଜଇ ହୃଦେ ତୁମ୍ଭଙ୍କୁ ଭଜଇ

ହଂସଗମନୀ ତୁମ୍ଭକଥା ଶୁଣିଲେ ସମସ୍ତକଥା ତେଜଇ

ଆରେ କାହ୍ନା ।୩୩।

କ୍ଷେମେ ବିଜେ କର ଧୀରେ କ୍ଷୋଭ ନ ଧରି ମନ୍ତ୍ରରେ

କ୍ଷେମେ ଦୀନକୃଷ୍ଣ ବୋଲେ ଭେଟ ହେବ ଛାୟାପତି ସୁତାଠାରେ

ଆରେ କାହ୍ନା ।୩୪।

ଭାବାର୍ଥ- (୨୬-୩୪) ରେ ସଖୀ, ଯୁବତୀ ଜଣକ ପଦ୍ମିନୀ ଜାତୀୟା କନ୍ୟା । ତା’ର ଅଙ୍ଗ ସୌରଭ ହେତୁ ଭ୍ରମରମାନେ ବେଢ଼ିଛନ୍ତି । ରମଣୀମଣିର ଉତ୍ତମ କଟୀଦେଶ (ସୁଶ୍ରୋଣୀ), ସୁନ୍ଦର ବେଣୀ ମନକୁ ମୋହିତ କରୁଛି । ଯୁଦ୍ଧକ୍ଷେତ୍ରରେ ରଥ ଉପରେ ଯେମିତି ନୀଳପତାକା ମଣ୍ଡିତ ହୋଇଛି । ଲଲାଟର ଦୁଇପାଖରେ କସ୍ତୁରୀ ରେଖ ଆଙ୍କିଛି । ତା’ ମସ୍ତକରେ ଚୂର୍ଣ୍ଣକୁନ୍ତଳ ଆକର୍ଷଣୀୟ ହୋଇଛି । ମନରେ ସୁଖ ଜାତ କରାଉଛି । ବିଧାତା ବଡ଼ ଖରାପ । ତା’ର ବିବେକ ପଣ ନାହିଁ । କୃଷ୍ଣବେଳକୁ ଏହାକୁ ଯାଡ଼ିଲା ନାହିଁ ।

ରେ ସଖୀ, ତା’ର ସମସ୍ତ ଅଙ୍ଗରେ ସମାନ ଭାବରେ ଶୋଭାଶିରୀ ପୂର୍ଣ୍ଣ ହୋଇ ରହିଛି । ତା’ ସୁନ୍ଦର ଦେହକୁ ପୁଣି ସବୁ ଅଳଙ୍କାର ଅଧିକ ସୁନ୍ଦର କରିଛି । ମୁଁ ଭାବୁଛି, ସତେ କ’ଣ ଯୋଗ ଆସିବ, ଏମିତି ଘଟିବ ସେ, ମହାଦେବଙ୍କ ଦୟାରୁ ଘର ଭିତରେ ଚନ୍ଦ୍ରମୁଖୀ ସହିତ ଦେଖା ହେବ । କୃଷ୍ଣଙ୍କ ଠାରୁ ଏ ସମସ୍ତ କଥା ଶୁଣି ଦୂତୀ କହିଲା, ହେ କାହ୍ନା, ସେ ବୃଷଭାନୁ ଦୁହିତା ରାଧା ହିଁ ତୁମ୍ଭଙ୍କୁ ସବୁଦିନେ ଦେଖିବା ପାଇଁ ମନ କରିଛି । ହେ କାହ୍ନା, ତୁମ୍ଭଙ୍କୁ ପାଇବା ପାଇଁ ସେ ହରଗଉରୀଙ୍କୁ ପୂଜା କରୁଛି । ହୃଦ ମଧ୍ୟରେ ତୁମ୍ଭଙ୍କୁ ଭଜୁଛି । ତୁମ୍ଭ କଥା ଶୁଣିଲେ ସେ ସମସ୍ତ କଥାକୁ ମନେପକାଉଛି । କ୍ଷୋଭ ନ କରି ଧୀର ଭାବରେ ବିଜେ କର । ତୁମ୍ଭ ଦୁହିଁଙ୍କର ଯମୁନାରେ ଭେଟ ହେବ ।

Image